ଭିନ୍ନ ଶ୍ମଶାନ
(କବି କେଶବ ଚନ୍ଦ୍ର ନାୟକ)
………………………………
ମାନବର ପେଟ ଶ୍ମଶାନ ଦେଖ
ଜଳୁଛି ଜଠର ନିଆଁ
ସିଝା କଞ୍ଚା ସବୁ ପାର ହୋଇଯାଏ
ଛାନିଆ କରେ ଦୁନିଆ….
ପଶୁ ପକ୍ଷୀ,ସରିଶ୍ରୁପ ଭକ୍ଷିଯାଏ
ପେଟଟି ମଶାଣି ଭୂଇଁ
କଂସେଇ ଖାନାରେ ଗହଳ ଚହଳ
ମାଂସ କିଣିବାର ପାଇଁ…..
ମତ୍ସ୍ଯ,କଛପ,ଗେଣ୍ଡା,ଶାମୁକା ଯେ
କୋଚିଆକୁ ଧରି ଗିଳେ
ମଣିଷଟା ପରା ରାକ୍ଷସ ସାଜି
ବଞ୍ଚଇ ଆନନ୍ଦ ଭୋଳେ….
ସୁରା ସୁନ୍ଦରୀରେ ମତ୍ତ ହୋଇ ପୁଣି
ଆମିଷକୁ କରେ ଭକ୍ଷ
ଜୀବ ମାରି ସିଏ ଜୀବକୁ ଗ୍ରାସଇ
ମନରେ ନଥାଏ ଦୁଃଖ….
ବଳୀ ନାମେ କେବେ ପଶୁ ପକ୍ଷୀ କାଟି
ମାଂସକୁ ହଜମ କରେ
ଜିହ୍ବା ଲାଳସାରେ ଜୀବ ହତ୍ଯାରେ
ନିର୍ଦ୍ଦୟେ ଖଡଗ ଧରେ….
ନିଜ ଜୀବନକୁ କରଇ ମମତା
ଇତର ପ୍ରାଣୀରେ ହିଂସା
ଅନ୍ଯର ଜୀବନ ଜୀବନ କି ନୁହେଁ
ରୁଧିରେ ମେଣ୍ଟାଏ ତୃଷା….
ମଣିଷକୁ କେବେ ଭରସା ନୁହଁଇ
ମାନବୁ ଦାନବ ହୁଏ
ବିଶ୍ବାସରେ କେବେ ଜହର ଦିଅଇ
କହିକି ପାରିବ କିଏ….
କ୍ଷଣେ କ୍ଷଣେ ମନ ବାଚାଳ ପରାଏ
ପଶୁ ଆଚରଣ କରେ
ପାପ କର୍ମ କରି ମିଥ୍ଯାବାଦୀ ହୋଇ
ନିର୍ଲଜେ ଗମେ ଦମ୍ଭରେ…..
ମାନବର ଜିହ୍ବା ଦୁଇ ପାର୍ଶ୍ବ ଧାର
ନିଜ ପାଇଁ ଯୁକ୍ତି କରେ
ନିଜ କୁକର୍ମକୁ ସୁକର୍ମ ଭାବିଣ
ଭ୍ରମୁଥାଏ ଏ ସଂସାରେ…..
ମନୁଷ୍ଯ ମରିଲେ ଶ୍ମଶାଟି ଲୋଡା
ପୋଡା ପୋତା ହେବା ପାଇଁ
ଅନ୍ଯ ଜୀବ ମଲେ ମଣିଷର ପେଟ
ଅଟଇ ଶ୍ମଶାନ ଭୂଇଁ….
(ସଭାପତି,ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି)
ଭିନ୍ନ ଶ୍ମଶାନ…….
Click for Any Complaint Regarding This News
AAA Online Services