ଛତ୍ରପୁର (କ୍ରାନ୍ତି ଓଡିଶା) (ସନ୍ତୋଷ କୁମାର ସାହୁ) : ଯାନ୍ତ୍ରିକ ଖେଳଣାର ଘୁଁ ଘୁାଁ ଶବ୍ଦରେ ଅତୀତର ପିଲାଖେଳ ଆଜି ବିଲୁପ୍ତ ପ୍ରାୟ । ଯେଉଁ ପାରମ୍ପରିକ ଖଳେ ଦ୍ୱାରା ପିଲାମାନଙ୍କ ଶାରିରିକ,ମାନସିକ ଓ ବୌଦ୍ଧିକ ବିକାଶ ସାଧୀତ ହେଉଥିଲା,ବର୍ତ୍ତମାନର ପିଲାଙ୍କ ପାଇଁ ଏବେ ତାହା ମୁଲ୍ୟହୀନ ।ଆଜିର ଇଣ୍ଟରନେଟ୍ ଅନଲାଇନ୍ ଭିଡିଓ ଗେମ୍ ର ଇନ୍ଦ୍ରଜାଲ ଧୀରେ ଧୀରେ ଜନମାନସରୁ ଅପସରେଇ ନେଉଛି ସେଇ ବାଲ୍ୟକ୍ରୀଡାଦିର ଅନୁପମ ଛଟା । ଯୁଗର ପରିବର୍ତ୍ତନ ସହିତ ଖେଳିବା ପାଇଁ ପିଲାଙ୍କୁ ବାହାରକୁ ଛାଡିବା ସକାଶେ ଅଭିଭାବକମାନେ ଅମଙ୍ଗ ହେବା ଏବଂ ପିଲାମାନଙ୍କୁ ଖେଳକୁଦ ଅପେକ୍ଷା ପାଠପଢା ଉପରେ ଅଧିକା ବୋଝ ଲଦି ଦେବା ବର୍ତ୍ତମାନ ପ୍ରାୟ ସମସ୍ତଙ୍କ ଘରେ ଦେଖିବାକୁ ମିଳୁଛି ।
ଫଳରେ,ଉତ୍ତମ ନାଗରିକଟେ ହେବାର ସମ୍ଭାବନା ତ ରହୁଛି କିନ୍ତୁ ଉତ୍ତମ ଖେଳାଳିଙ୍କ ଅଭାବ ଦେଖା ଦେବାରେ ଲାଗିଛି । ଆଗକୁ ଖରାଛୁଟି । ଆଉ ଏହି ଖରାଛୁଟିକୁ ସବୁ ପିଲା ଅନେଇ ବସିଥାନ୍ତି । ବର୍ଷକ ଜାକର ପାଠର ବ୍ୟସ୍ତତା ପରେ କିଛିଦିନ ମଉକରେ କଟାଇବାର ଅଭିଳାଶ ପୋଷଣ କରିଥାନ୍ତି । କେହି କେହି ଆଇ ଘରକୁ ଯିବା ପାଇଁ ଉଚ୍ଛନ୍ନ ଥାଏ ତ ଆଉ କେହି ଖେଳ କସରତରେ ସମୟ କଟାଇବାର ଅବିଳାସ କରିଥାନ୍ତି । ହେଲେ ଆଜି ସେଇ ହସଖୁସି,ଖେଳକୁଦ ଆଉ ଦେଖିବାକୁ ମିଳୁନାହିଁ । ଖରାତରା ନ ମାନି କବାଡି,ଫୁଟବଲ,ଭଲିବଲ,ବାସ୍କେଟ ବଲ,କିମ୍ବା କ୍ରିକେଟ ର ନିଶାରେ ଧୂଳିରେ ଗଡୁଥିବା ବି ଦେଖିବାକୁ ମିଳୁନାହିଁ । ସେହିଭଳୀ, ବର୍ଷାଦିନେ ବହିଯାଉଥିବା ପାଣିକୁ ବନ୍ଧେଇ ଅମୃତଭଣ୍ଡା ନଳୀରେ ଆଜି କେହି ଛାଡୁ ନାହାନ୍ତି କି ସେହି କାଗଜ ଡଙ୍ଗା ବି ଭସାଉନାହାନ୍ତି । ବଦଳି ଗଲାଣି ବର୍ତ୍ତମାନ ର ପିଲାଙ୍କ ଖେଳ । ଲୁଚକାଳି, ବୋହୁଚୋରି, ଗିଲିଦାଣ୍ଡି, ନଟୁ, ବାଡି ଡିଆଁ, ଡାଳ ମାଙ୍କୁଡି, ବାଟି, ରୁମାଲ ଚୋରି, ଡିଆସିଲ କାର୍ଡ ଭଳୀ ପାରମ୍ପରିକ ଖେଳ ଆଜି ହଜିଗଲାଣି । ସେହିଭଳି ଠିଆପୁଚି,ବସାପୁଚି,ଦଉଡି ଡିଆଁ,ଶଙ୍ଖ ପୁଙ୍ଖା,କଉଡି ଖେଳ ଭଳୀ ଗ୍ରାମୀଣ ଝିଅମାନଙ୍କ ଖେଳ ଗୁଡିକ ମଧ୍ୟ ଦେଖାଯାଉନି । ପୂର୍ବେ ଗାଁ ଦାଣ୍ଡରେ ପିଲାଟିଏ ଧୁଳି ଧୁସରିତ ହୋଇ ଅନ୍ୟ ପିଲାଙ୍କ ସହ ଖେଳିଲେ ତାହା ସ୍ମରଣ ଶକ୍ତି ବଢିବା ସହ ପିଲାଟିର ସ୍ୱଜନଶୀଳତା ବଢେ ବୋଲି ବୁଢାବୁଢିମାନେ କହୁଥିଲେ । ହେଲେ,ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବିପ୍ଲବରେ ଅଭିମନ୍ତ୍ରିତ ଆଜିର ଅବିଭାବକ ଓ ପିଲାଙ୍କ ମଧ୍ୟରେ ଆଉ ପାରମ୍ପରିକ ଖେଳର ମଧୁରତା ହିଁ ନାହିଁ ।
ଆସନ୍ତୁ ଏମିତି,ହଜି ଯାଉଥିବା କେତେକ ପାରମ୍ପରିକ ଖେଳକୁ ଟିକେ ମନେ ପକାଇବା ।
- ବାଟି ଖେଳ ; ଏହି ଖେଳରେ ପିଲାମାନେ କାଚ ଅବା ହାଡ ବାଟିକୁ ଦୁଇ ଆଙ୍ଗୁଟିରେ ଧରି ବସିକି ଅବା ଛିଡା ହୋଇ ଫୋପାଡନ୍ତି । ବାଟିଟି ଗଡି ଗଡି ଯାଇ ନିର୍ଦ୍ଧାରିତ ଖାତରେ ପଶିବ । ଏଥିପାଇଁ ପଏଣ୍ଟ ମିଳିବ । ପୁଣି ଭୁମିରେ ଗୋଲକାଟି ସେତିରେ ପଇସା ଅବା ବାଟି ରଖି ଅନ୍ୟ ବାଟି ସାହାର୍ଯ୍ୟରେ ବାଡେଇ ବାହାର କରିବାକୁ ପଡେ ।
- ଲୁଚକାଳି ; ଏହି ଖେଳରେ ୍େତେ ଜଣ ଚାହିଁବେ,ସେତେ ଜଣ ଖେଳି ପାରିବେ । ଯିଏ ଚୋର ହେବ,ସିଏ ଅନ୍ୟମାନଙ୍କୁ କୋଜିବା ଖୋଜୁ ଖୋଜୁ ଯଦି ସମସ୍ତଙ୍କୁ ପାଇଲା ତେବେ ପ୍ରଥମେ ଯାହାକୁ ପାଇଥିବ,ସେ ପୁଣି ଖୋଜିବା ଆରମ୍ଭ କରିବ ।
- ବାଡିଡିଆଁ ; ଏହି ଖେଳ ଦୁଇ ମୁଣ୍ଡରେ ଦୁଇଟି ହଣ୍ଡା କଟା ହେବ । ସବୁ ପିଲାଙ୍କହାତରେ ଥିବ ଗୋଟାଏ ଲେଖାଁଏ ବାଡି । ଜଣକ ପରେ ଜଣେ ଧାଇଁକି ବାଡିକି ଡେଇଁବେ । ଯିଏ ଯେତେ ଦୂରକୁ ଡେଇଁବେ,ସିଏ ସେପଟେ ଜଣ୍ଡାକୁ ପାଖେଇ ଯାଉଥିବେ ।
- ଗିଲିଦାଣ୍ଡି ; ଏହି ଖେଳ ଦୁଇଟି କାଠିରେ ହୋଇଥାଏ । ଗୋଟିଏ ଛୋଟ କାଠି ଓ ଅନ୍ୟଟି ହାତେ ଲମ୍ବର କାଠି । ଏକ ଗାତ ଉପରେ ଏକ ଛୋଟ କାଠି (ଗିଲି)କୁ ରଖି ବଡ କାଠିରେ ଦୂରକୁ ଛଟାଯାଏ । ଖେଳଟି ଯେତିକି ମଜାଦାର,ସେତିକି ବିପଦ ମଧ୍ୟ ।
- ବୋହୁଚୋରି ; ବିଷେଷକରି ଗାଁରେ କିଶୋରୀମାନେ ବୋହୁଚୋରୀ ଖେଳିବାକୁ ଭାରି ଭଲ ପାଆନ୍ତି । ଦୁଇ ମୁଣ୍ଡରେ ଦୁଇଟି ଗୋଲ କଟା ହୋଇଥିବ । ଗୋଟେ ଗୋଲରେ ବୋହୁ ଓ ଅନ୍ୟ ଗୋଲରେ ଅନ୍ୟ ଗୋଲରେ ଅନ୍ୟ ଦଳର ପିଲା (ଯେଉଁମାନେ ବୋହୁକୁ ଚୋରି କରିବାକୁ ଚାହୁଁଥିବେ) ରହିବେ । ଯିଏ ବୋହୁ ଚୋରି କରି ନେବ ତାକୁ ଧରିବେ ବୋଲି ଆର ଦଳର ପିଲା ବାହାରେ ଏଣେତେଣେ ବୁଲୁଥିବେ ।