ଡଙ୍ଗରରେ ଅଦିନିଆ ବର୍ଷା
(କବି କେଶବ ଚନ୍ଦ୍ର ନାୟକ)
………………………….
ଡଙ୍ଗର ଧାନ କ୍ଷେତ ସୁନା ଛାଉଣି ଯେ
ବିଚିତ୍ର ପ୍ରକୃତି ଶୋଭା
ପାହାଡ ପିଠିରେ ମେଘ ଘସି ହୁଏ
ବିଜୁଳି ଚମକ ଆଭା
କଳା ହାଣ୍ଡି ବର୍ଣ୍ଣ ମେଘ କାହିଁ ଥିଲା
ବରଷେ ମୂଶଳ ଧାର
ପାହାଡି ଝରଣା ଗରଜି ଉଠୁଛି
ପତରୁ ନିଗିଡେ ନୀର
ଟୁପୁରୁ ଟାପର ଶବଦ ଶୁଭୁଛି
ଅରଣ୍ଯ ଗାଏ କି ଗୀତ
ଘଡ ଘଡି ମାରେ ଛାତିକୁ ଥରାଇ
ଡର ଲାଗେ ଅପ୍ରମିତ
ଅଦିନ ବରଷା ଆସିଲା ଅଦିନେ
ପାଣି ପବନକୁ ଧରି
ଭାଙ୍ଗିଲା ଅରଣ୍ଯ ଡାଳ ମୂଳ କେତେ
ଉଡାଇ କୁଟୀର ଚାଳି
ସରସ ସୁନ୍ଦର ଧାନ କ୍ଷେତ ସତେ
ଭୂଇଁରେ ପଡିଲେ ଶୋଇ
ଆଦିବାସୀ ମନ ଭାରି କାରୁଣ୍ଯ ଯେ
କାହାକୁ କହିବ ଯାଇ
ବରଷ ଯାକର ଧାନ ଫସଲ ଯେ
ମାଟିରେ ଯାଇଛି ମିଶି
ଅଦିନ ବରଷା ଆହା କି ନିଷ୍ଠୁର
ଛଡାଇଲା ହସ ଖୁସୀ
କୋରାପୁଟ,ଜୟପୁର,ମାଲକାଗିରି
ଡଙ୍ଗର ଡଙ୍ଗର ଧାନ
ଭୋଦୁଅ ମାସରେ ପାଚୁଥାଏ ଧାନ
ସେତ ଡଙ୍ଗରିଆ ଧାନ
ମାଉଲୀ ମାଆକୁ ସୁମରଣା କରି
ବୁଣିଲା ଡଙ୍ଗରେ ଧାନ
କଳା ନାଲି ଗଞ୍ଜା ଦେଇଥିଲା ବଳୀ
ମାଆ ବୁଝିଲା ନି ମନ
କ୍ଷେତରେ କୁକୁଟ ରକତର ଛିଟା
ଭୂଇଁଆଣି ମାଆ ପିଏ
ମାଆ ସାହା ହୋଇ ପ୍ରତି ବରଷରେ
ସୁନାର ଫସଲ ଦିଏ
କେଉଁ ଅଭିଶାପେ ଆସେ ଏ ବରଷା
ପେଟକୁ ଗୋଇଠା ମାରି
ଆଦିବାସୀ ସେଇ ମୁରୁଖ ମଣିଷ
ଜାଣେନା ଗୁହାରୀ କରି…!!
ମାଣ୍ଡିଆ ପେଜରେ ଦିନ ତା କଟଇ
ସୁଆଁ ଖୁଦ ଖାଇ ବଞ୍ଚେ
ସଲପ ମହୁଲି ପାନକରି କେବେ
ଧାଙ୍ଗିଡୀ ସହିତ ନାଚେ
ପୁନେଇ ପରବେ ବଳୀ ଭୋଗ ଦିଏ
ଗାଁ ଠାକୁରାଣୀ ପାଶେ
ମା ତା’ର ସାହା ବିପଦେ ଆପଦେ
ସକଳ ସଂକଟ ନାଶେ….!!
(ସଭାପତି,ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି)
