୨୦.୦୯.୨୦୧୯ ମୁଖ୍ୟ ଖବର
(କ୍ରାନ୍ତି ଓଡ଼ିଶା)
କେରଳ ହାଇକୋର୍ଟ ଇଣ୍ଟରନେଟ ବ୍ୟବହାରକୁ ‘ମୌଳିକ ଅଧିକାର’ ର ଏକ ଅଂଶ ବୋଲି ଘୋଷଣା କରି ଐତିହାସିକ ରାୟ ଦେଇଛନ୍ତି, ଇଣ୍ଟରନେଟ ବ୍ୟବହାର ସମ୍ବିଧାନରେ ଦିଆଯାଇଥିବା ଶିକ୍ଷା ଅଧିକାର ଏବଂ ବ୍ୟକ୍ତିଗତ ଅଧିକାରର ଅଂଶ ଅଟେ ବୋଲି କୋର୍ଟ କହିଛନ୍ତି।
ଅର୍ଥତତ୍ତ୍ଵ ଚିଟ୍ଫଣ୍ଡ ଠକେଇ ମାମଲାରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଗିରଫ କରିଛି । ସିବିଆଇର କୋର୍ଟରେ ହଜିର ପରେ ଝରପଡା ଜେଲ ଗଲେ ଆଶୀର୍ବାଦ।
ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଅଦାଲତ ଦୋଷୀକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୋଷୀ ସେକ୍ ମୁସ୍ତାକକୁ କଟକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ ଫାଶୀ ଦଣ୍ଡ ଶୁଣାଇଛନ୍ତି।
ଦୁଇମାସ ମଧ୍ୟରେ ୪ଟି ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତମାନଙ୍କୁ ଫାଶୀ ଦଣ୍ଡାଦେଶ ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ବୋଲି ହୋଇପାରିଛି।
ବାଲେଶ୍ବର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ଜାମସୁଳି ଲକ୍ଷ୍ମୀନାରାୟଣ କଲେଜରେ ପରୀକ୍ଷା ଫି ବୃଦ୍ଧି ବିରୋଧରେ ଛାତ୍ରଛାତ୍ରୀମାନେ ଚଳାଇଥିବା ଆନ୍ଦୋଳନର ୨ୟ ଦିନରେ ଆଜି ଜଳାପୋଡ଼ା, ଭଙ୍ଗାରୁଜା କରିବା ଯୋଗୁଁ କଲେଜ ଅଫିସ ଓ ଅଧକ୍ଷଙ୍କ ଅଫିସର ବହୁମୂଲ୍ୟ ଆସବାବପତ୍ର, କମ୍ପ୍ୟୁଟର, ସିସି କ୍ୟାମେରା ଆଦି ନଷ୍ଟ ହୋଇଯାଇଛି।
ବୌଦ୍ଧ ଜିଲା ହରଭଙ୍ଗା ଥାନା ଅନ୍ତର୍ଗତ ଖରଭୁଇଁରେ ଏଆରଏସଏସ ପ୍ଲାଣ୍ଟରେ କାମ କରୁଥିବା ଜଣେ ପ୍ଲାଣ୍ଟ ଅପରେଟରଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି।
ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦମ୍ବରମଙ୍କୁ ଗୁରୁବାର ଦିଲ୍ଳୀର ଏକ କୋର୍ଟରୁ ସୁରକ୍ଷା ମିଳିନି, କୋର୍ଟ ତାଙ୍କୁ ପୁଣି ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।
ଆମେରିକାର ମହାକାଶ ସଂସ୍ଥା ନାସା ବିକ୍ରମକୁ ଠାବ କରିବା ସହ ତା’ ସହିତ ସମ୍ପର୍କ ସ୍ଥାପନ କରିବାରେ ସକ୍ଷମ ହେବ ବୋଲି ଯେଉଁ ଆଶା ଥିଲା, ତାହା ମଧ୍ୟ ବିଫଳ ହୋଇଛି। ନାସା ମଧ୍ୟ ବିକ୍ରମକୁ ଠାବ କରିବାରେ ବିଫଳ ହୋଇଛି।
ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ସହ ସମ୍ପର୍କ ସ୍ଥାପନ କରିବାରେ ସଫଳ ହୋଇପାରି ନାହିଁ। ବିକ୍ରମର ଜୀବନ କାଳ ୧୪ ଦିନ ହୋଇଥିବାବେଳେ ଗୁରୁବାର ସୁଦ୍ଧା ୧୩ ଦିନ ବିତିଯାଇଛି। କିନ୍ତୁ ବିକ୍ରମ ସହିତ ଯୋଗାଯୋଗ ହୋଇପାରି ନାହିଁ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧ ବିମାନ ତେଜସ ଉଡ଼ାଇଛନ୍ତି। ବେଙ୍ଗାଲୁରୁସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ(ହାଲ) ପରିସରରୁ ରାଜନାଥ ଏହାର ଉଡ଼ାଣ କରିଥିଲେ।
ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ଭାବେ ରାଜନାଥ ପ୍ରଥମ ଥର ଲାଗି କୌଣସି ଯୁଦ୍ଧ ବିମାନରେ ଉଡ଼ାଣ କରିଛନ୍ତି।
ନିୟନ୍ତ୍ରଣ ରେଖାରେ ପାକିସ୍ତାନ କିଛିଦିନ ଧରି ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ଏବେ ଅନ୍ତର୍ଜାତୀୟ ସୀମାରେଖାକୁ ଟାର୍ଗେଟ କରିଛି।
ପାକ୍ ରେଞ୍ଜର୍ସଙ୍କ ପକ୍ଷରୁ କାଠୁଆ ଜିଲାର ହୀରାନଗର ସେକ୍ଟରରେ ଥିବା ଅନ୍ତର୍ଜାତୀୟ ସୀମାରେ ପ୍ରବଳ ମାତ୍ରାରେ ଗୁଳି ବର୍ଷା କରାଯାଇଛି। ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଥିବା ସୂଚନା ମିଳିଛି।
ପଶ୍ଚିମବଙ୍ଗରେ ଏନଆରସିରୁ ବାଦ୍ ପଡ଼ିଥିବା ଲୋକମାନଙ୍କୁ ଆଉ ଏକ ସୁଯୋଗ ଦେବା ଲାଗି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ନିବେଦନ କରିଛନ୍ତି ବୋଲି କହିଛନ୍ତି।
ଝାଡ଼ଖଣ୍ଡ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଅଜୟ କୁମାର ଆଜି ଆମ୍ ଆଦ୍ମୀ ପାର୍ଟି(ଆପ୍)ରେ ଯୋଗଦେଇଛନ୍ତି।
କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍.କେ. ସିଂ ଜାମ୍ମୁ-କାଶ୍ମୀରରେ ୧୫ଟି ବିଦ୍ୟୁତ୍ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ୧୦ ହଜାର କୋଟି ଟଙ୍କାର ୨୦ଟି ପ୍ରକଳ୍ପର ମଧ୍ୟ ସେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ମଙ୍ଗୋଲିଆ ରାଷ୍ଟ୍ରପତି ଖଲ୍ତମାଗିନ ବାଟୁଲଗା ଭାରତକୁ ୫ଦିନ ଗସ୍ତରେ ଆସି ଆଜି ଅପରାହ୍ଣରେ ନୂଆଦିଲ୍ଲୀରେ ପହଞ୍ଚିବେ। ତାଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଓ ବ୍ୟବସାୟିକ ପ୍ରତିନିଧି ଦଳ ଭାରତ ଆସୁଛନ୍ତି।
ପ୍ରସାରଭାରତୀର ଆର୍ଥିକ ସହାୟତାରେ ନିର୍ମିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର “ମୋତି ବାଘ୍” ଓସ୍କାର ପୁରସ୍କାର ପାଇଁ ମନୋନୀତ ହୋଇଛି। ଉତ୍ତରାଖଣ୍ଡର ଜଣେ ୮୦ବର୍ଷ ବୟସ୍କ କୃଷକଙ୍କ ଜୀବନୀ ଓ କଠିନ ପରିଶ୍ରମ ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁ ୩ ଥର ଜାତୀୟ ପୁରସ୍କାର ବିଜେତା ନିର୍ମଳ ଚନ୍ଦ୍ର ଦଣ୍ଡରିୟାଲ୍ ନିର୍ଦ୍ଦେଶନା ଦେଇଥିଲେ।