କଟକ : କଟକର ବିଭିନ୍ନ ଅଂଚଳରେ ପୋଲିସ ଡିସିପି ଅଖିଳେଶ୍ବର ସିଂଙ୍କ ବିରୋଧରେ ବହୁ ସାମାଜିକ ଅନୁଷ୍ଠାନଙ୍କ ଦ୍ୱାରା ଜୋରଦାର ଆନ୍ଦୋଳନ କାରାଯାଇଛି। ପ୍ରତିବାଦ ସଭା ସହିତ ବିଭିନ୍ନ ଅଂଚଳରେ ଡିସିପିଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଡିସିପିଙ୍କ ବଦଳି ଦାବି କରାଯାଇ ଏଭଳି ପ୍ରତିବାଦ କରିବାକୁ ରାଜରାସ୍ତାକୁ ଉଲ୍ଲେଇଛନ୍ତି ସାମାଜିକ ଅନୁଷ୍ଠାନ। ଜଣେ ସରକାରୀ କର୍ମଚାରୀଙ୍କ ବିରୋଧରେ ଏଭଳି ଜନ ଆକ୍ରୋଶ କେବେ ଦେଖିବାକୁ ମିଳିନଥିଲା।
ପ୍ରକାଶଥାଉକି ଗତ କିଛି ଦିନ ପୂର୍ବେ କଟକର ସହିଦ ଭବନ ଠାରେ କଟକ କମିଶନରେଟ ପୋଲିସ ଦ୍ୱାରା ଦୁର୍ଗା ପୂଜା ପ୍ରସ୍ତୁତି ନିମନ୍ତେ ଏକ ବୈଠକ ଡକା ଯାଇଥିଲା। ଉକ୍ତ ବୈଠକରେ ସମସ୍ତେ ପୂଜା କମିଟି ଓ ରାଜନୈତିକ ଦଳର ନେତୃତ୍ବଙ୍କୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖା ଗଲା ଯେ କଟକ ସହରର ନିର୍ବାଚିତ ବିଧାୟକ ମହମ୍ମଦ ମୋକିମଙ୍କୁ ନିମନ୍ତ୍ରଣ କରାଯାଇ ନଥିଲେ।
ଆଜି ବିଜୁ ପଟ୍ଟନାୟକ ଛକ ଠାରେ ମୁସଲିମ ଫୋରମ ପକ୍ଷରୁ ପ୍ରତିବାଦ ସଭା କରିବା ସହ ଡିସିପିଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଶେଖ ବାବାଜାନୀ ସଂଯୋଜନା କରିଥିଲେ। ସେହି ପରି ବକ୍ସି ବଜ଼ାର ସ୍ଥିତ ଗୋପବନ୍ଧୁ ପାର୍କରେ ଓଡ଼ିଶା ଷ୍ଟୁଡେଣ୍ଟ ଲିଡରସ ଫୋରମ ପକ୍ଷରୁ ଡିସିପିଙ୍କ ତୁରନ୍ତ ବଦଳି ଦାବି କରାଯାଇ ଧାରଣା ଦିଆ ଯାଇଥିଲେ। ଏହି ଧାରଣାରେ ବହୁ ପୁରାତନ ଛାତ୍ର ଓ ଯୁବ ନେତା ଯୋଗ ଦେଇଥିଲେ। ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ କଟକ ସହରରେ ଏଭଳି ପରିସ୍ଥିତିକୁ ଦେଖି ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକାଶ ପାଇଛି।