କଟକ : କେନ୍ଦ୍ର ସରକାରଙ୍କ ଦ୍ୱାରା ନୂତନ ଭାବେ ଗଢ଼ା ଯାଇଥିବା ମୋଟର ବାହାନ ନିୟମାବଳୀ ଜନସାଧାରଣ ଙ୍କ ମନରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି କରିଛି।ଏହାକୁ ପାଥେୟ କରି ପୋଲିସ ପ୍ରଶାସନ ଓ ପରିବହନ ବିଭାଗ ଜନସାଧାରଣ ଙ୍କ ଉପରେ ଏକ ପ୍ରକାର ଜୁଲୁମ କରିଚାଲିଛନ୍ତି।ଉପଯୁକ୍ତ ପ୍ରାକ ବ୍ୟବସ୍ଥା ର ଅଭାବ ଯୋଗୁଁ ବହୁ ରାଜ୍ୟ ରେ ଏହି ନୂତନ ନିୟମକୁ କାର୍ଯ୍ୟକାରୀ କରାଯାଇନାହିଁ। କିନ୍ତୁ ଓଡିଶା ଭଳି ପଛୁଆ ରାଜ୍ୟ ଯେଉଁଠି ରାସ୍ତାଘାଟ ସଙ୍କଟାପନ୍ନ ଅବସ୍ଥାରେ ରହିଛି ସେଠି ଏହାର ପାଳନ କଡାକଡି ଭାବେ କରାଯାଉଛି।ଏହାର ଏକମାତ୍ର କାରଣ ହେଉଛି ଓଡ଼ିଶାର ବର୍ତ୍ତମାନର ଶାସକ ଦଳ ବିଜେଡି କେନ୍ଦ୍ରର ଶାସକ ଦଳ ବିଜେପି ଉପରେ ନିଜର ପ୍ରଗାଢ ବିଶ୍ୱାସନୀୟତା ଓ ଚାଟୁକାରିତା କୁ ପ୍ରକାଶ କରୁଛି ବୋଲି ଓଡିଶା ସୁରକ୍ଷା ସେନା ର ଅଧ୍ୟକ୍ଷ ଶ୍ରୀ ଅଭିଷେକ ଯୋଶୀ କହିଛନ୍ତି।
ସହସ୍ର ବର୍ଷର ସହର କଟକର ଅବସ୍ଥା କହିଲେ ନସରେ।ଏହା ଏକ ଜନଗହଳି ପୂର୍ଣ୍ଣ ସହର ହୋଇଥିବାବେଳେ ଏହାର ରାସ୍ତାଘାଟ ଅଣଓସାରିଆ।ତା ଉପରେ ଜାଇକା(JICA) ର ଭୂତଳ ଜଳ ନିଷ୍କାସନ କାର୍ଯ୍ୟ କଟା ଘା’ ରେ ଚୂନ ମାରିଲା ପରି କାର୍ଯ୍ୟ କରୁଛି।ଏହି ସହରର ପ୍ରାୟ ସବୁ ରାସ୍ତା ସଙ୍କଟାପନ୍ନ ଅବସ୍ଥାରେ ରହୁଛି, ଯାହାଦ୍ୱାରା ଲୋକମାନେ ଗାଡି ୨୦-୩୦ କିମି. ପ୍ରତି ଘଣ୍ଟା ଚଳାଇବା କଷ୍ଟକର ହୋଇପଡୁଛି।ଏଠି ଦୁର୍ଘଟଣା ଗାଡି ଯୋଗୁଁ ନୁହେଁ ବରଂ ରାସ୍ତାଘାଟ ର ଦୁରବସ୍ଥା ଯୋଗୁଁ ହୋଇଥାଏ।ସରକାର ନିଜ କାର୍ଯ୍ୟ ଠିକଭାବେ ନକରି କେଉଁ ଅଧିକାରରେ କଟକ ବାସିନ୍ଦା ଙ୍କ ଉପରେ ନୂଆ ମୋଟର ଯାନ ନିୟମାବଳୀ ଲାଗୁକରିଛନ୍ତି ବୋଲି ଶ୍ରୀ ଯୋଶୀ ପ୍ରଶ୍ନ କରିଛନ୍ତି ଓ ଏହାସହିତ ସମସ୍ତ ବିରୋଧୀ ଦଳ ଏହି ନିଷ୍ଠୁର ଆଇନ କୁ ଏକତ୍ରିତ ହୋଇ କଡା ବିରୋଧ କରିବା ପାଇଁ ଆହ୍ବାନ ଦେଇଛନ୍ତି।